ଭୁବନେଶ୍ୱର, (କୋଶଳ ପ୍ରହରୀ) : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶାର ୫ଟି ଜିଲ୍ଲାରେ ଆସନ୍ତା ୨୮ ଓ ୨୯ ତାରିଖରେ ସ୍କୁଲ୍ ଓ କଲେଜ ବନ୍ଦ ରହିବ। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି। ଅନ୍ୟ ଜିଲ୍ଲାଗୁଡ଼ିକରେ ପରିସ୍ଥିତିକୁ ଦେଖି ସମ୍ପୃକ୍ତ ଜିଲ୍ଲାପାଳମାନେ ସ୍କୁଲ୍ ଓ କଲେଜ ଛୁଟି ନେଇ ନିଷ୍ପତ୍ତି ନେବେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ) ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। ବାତ୍ୟା ମୁକାବିଲା ପାଇଁ ରାଜ୍ୟରେ ପ୍ରାୟ ୬୦ଟି ଓଡ଼୍ରାଫ୍ ଟିମ୍ ଓ ୧୭ଟି ଏନ୍ଡିଆର୍ଏଫ୍ ଟିମ୍ ନିୟୋଜିତ କରାଯାଇଛି। ଏହାସହ ୨୨୫ଟି ଅଗ୍ନିଶମ ଟିମ୍କୁ ମଧ୍ୟ ସଜାଗ ରଖାଯାଇଛି। ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ଆକଳନ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି। ତଥାପି ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ଓ ଅନ୍ୟାନ୍ୟ ପାଣିପାଗଜନିତ ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଜିଲ୍ଲା ପ୍ରଶାସନକୁ ସତର୍କ ରହିବା ସହ ଆବଶ୍ୟକ ପ୍ରସ୍ତୁତି ଜାରି ରଖିବାକୁ କୁହାଯାଇଛି।

0 Comments