ବଲାଙ୍ଗୀର,(କୋଶଳ ପ୍ରହରୀ) : ଗ୍ରାମାଞ୍ଚଳରେ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ସହ ଶିଶୁମାନଙ୍କ ଖେଳକୁଦ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ର ଟଟୋପରା ଗ୍ରାମରେ ଏକ ମୁକ୍ତ ଆକାଶ ବ୍ୟାୟାମଶାଳା ଓ ଶିଶୁ ଉଦ୍ୟାନ ନିର୍ମାଣ ପାଇଁ ଦାବି ଜୋର ଧରିଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ନିୟମିତ ବ୍ୟାୟାମ ସୁସ୍ଥ ରହିବା ପାଇଁ ଅତ୍ୟନ୍ତ ଜରୁରୀ। ଗ୍ରାମରେ ଏକ ମୁକ୍ତ ଆକାଶ ବ୍ୟାୟାମଶାଳା ନିର୍ମାଣ ହେଲେ ଯୁବପିଢ଼ିଙ୍କ ସମେତ ମହିଳା ଓ ବୟସ୍କ ବ୍ୟକ୍ତିମାନେ ମଧ୍ୟ ନିୟମିତ ବ୍ୟାୟାମ କରିବାର ସୁଯୋଗ ପାଇପାରିବେ। ସେହିପରି ଦୋଳି, ସ୍ଲାଇଡ୍ ଓ ଅନ୍ୟାନ୍ୟ ଖେଳ ଉପକରଣ ସହ ଏକ ଶିଶୁ ଉଦ୍ୟାନ ନିର୍ମାଣ ହେଲେ ପିଲାମାନଙ୍କ ଶାରୀରିକ ଓ ମାନସିକ ବିକାଶରେ ସହାୟକ ହେବ।
ଅନ୍ୟାନ୍ୟ ଗ୍ରାମାଞ୍ଚଳରେ ଏଭଳି ଜନହିତକର ପ୍ରକଳ୍ପ ମାଧ୍ୟମରେ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ସହ ମନୋରଞ୍ଜନର ସୁଯୋଗ ମିଳୁଥିବାବେଳେ ଟଟୋପରା ଗ୍ରାମରେ ମଧ୍ୟ ଏହି ସୁବିଧା ଉପଲବ୍ଧ କରାଇବାକୁ ଦାବି ହେଉଛି। ଏଥିପାଇଁ ମୁରିବାହାଲ ବ୍ଲକ୍ ପ୍ରଶାସନ, ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ତେଣୁ ଉପଯୁକ୍ତ ସ୍ଥାନ ଚିହ୍ନଟ କରି ସରକାରୀ ଯୋଜନା ଓ ଉପଲବ୍ଧ ପାଣ୍ଠି ମାଧ୍ୟମରେ ଏହି ଦୁଇଟି ପ୍ରକଳ୍ପ ନିର୍ମାଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ଜଣାଯାଇଛି। ଗ୍ରାମର ବିକାଶ ସହ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଶିଶୁମାନଙ୍କ ଉନ୍ନତ ଭବିଷ୍ୟତ ପାଇଁ ଟଟୋପରାରେ ଏଭଳି ସୁବିଧା ନିର୍ମାଣ ହେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

0 Comments