ନୂଆପଡ଼ା (କୋଶଳ ପ୍ରହରୀ) : ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟର ଅଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଚାକୋଟିଆ ଭୁଞ୍ଜିଆ ଆଦିବାସୀମାନଙ୍କ ଆରାଧ୍ୟା ଦେବୀ ମାଁ ସୁନାଦେଇଙ୍କ ଏହି ପ୍ରସିଦ୍ଧ ଯାତ୍ରାରେ ନୂଆପଡ଼ା ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲା ଓ ପଡ଼ୋଶୀ ରାଜ୍ୟରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।
ପାରମ୍ପରିକ ରୀତିନୀତି ଅନୁଯାୟୀ, ମାଁ ସୁନାଦେଇ ନିଜ ପୀଠସ୍ଥଳୀରୁ ଛତରରେ ବିରାଜମାନ ହୋଇ ଲିଙ୍ଗ ଭଟ୍ଟାଠାରେ ପହଞ୍ଚିଥିଲେ। ସେଠାରେ ମାଁଙ୍କ ପୂଜାର୍ଚ୍ଚନା ପରେ ଛତର ଯାତ୍ରା ଆରମ୍ଭ ହୋଇଥିଲା। ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ମାଁ ସୁନାଦେଇଙ୍କ ୧୦ ଭାଇଙ୍କ ସହ ୮୪ ଚୋରାଆଶି ଟିକରିର ଅଧିବାସୀମାନେ ଏକତ୍ରିତ ହୋଇ ମାଁଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ।
ଏହି ଯାତ୍ରାର ଏକ ସ୍ୱତନ୍ତ୍ର ପରମ୍ପରା ହେଉଛି ବାର୍ଷିକ ହିସାବ ନିକାଶ। ଲୋକବିଶ୍ୱାସ ଅନୁଯାୟୀ, ଏହି ଅବସରରେ ମାଁ କାଳିସୀଙ୍କ ଦେହରେ ଆବିର୍ଭୂତ ହୋଇ ଭକ୍ତମାନଙ୍କ ସହ ସାଧାରଣ ଭାବରେ କଥାବାର୍ତ୍ତା କରନ୍ତି। ଭକ୍ତମାନେ ନିଜର ମନର କଥା, ଦୁଃଖ, ଅଭିଯୋଗ ଓ ମାନ-ଅଭିମାନ ମାଁଙ୍କ ନିକଟରେ ପ୍ରକାଶ କରିଥାନ୍ତି। ମାଁଙ୍କ ପ୍ରତି ହୋଇଥିବା ଅବମାନନା କିମ୍ବା ଭକ୍ତଙ୍କ କଥା ଶୁଣାଯାଇନଥିବା ଭଳି ବିଷୟକୁ ନେଇ ଏହି ପାରମ୍ପରିକ ବାର୍ତ୍ତାଳାପ ହୋଇଥାଏ।
ଛତର ଯାତ୍ରା ସମୟରେ ମାଁ ସୁନାଦେଇ ବିଭିନ୍ନ ଘରକୁ ଯାଇ ପୂଜା ପାଇଥାନ୍ତି। ଏହି ଅବସରରେ ଭୁଞ୍ଜିଆ ଆଦିବାସୀ ମହିଳାମାନେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରି ମାଁଙ୍କ ଆରାଧନା କରିଥାନ୍ତି। ଏହି ଯାତ୍ରା ଭୁଞ୍ଜିଆ ଆଦିବାସୀ ସମାଜର ପାରମ୍ପରିକ ଆସ୍ଥା, ଧାର୍ମିକ ବିଶ୍ୱାସ ଓ ସାଂସ୍କୃତିକ ପରିଚୟର ଏକ ଅନନ୍ୟ ପ୍ରତୀକ ଭାବେ ପରିଚିତ।
ମାଁ ସୁନାଦେଇଙ୍କ ପ୍ରତି ଭକ୍ତମାନଙ୍କର ଅଗାଢ଼ ବିଶ୍ୱାସ ରହିଛି। ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ମାଁଙ୍କ ଦର୍ଶନ କରିବା ସହ ନିଜ ନିଜର ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଥାନ୍ତି। ମାଁଙ୍କ କୃପାରୁ ମନସ୍କାମନା ପୂରଣ ହୋଇଥିବା ନେଇ ଅନେକ ଭକ୍ତ ନିଜର ଅନୁଭୂତି ପ୍ରକାଶ କରିଛନ୍ତି। ମାଁ ସୁନାଦେଇଙ୍କ ଯାତ୍ରା ଏହି ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ଜୀବନରେ ବିଶେଷ ମହତ୍ତ୍ୱ ବହନ କରିଥାଏ।
ଏହି ପବିତ୍ର ଯାତ୍ରାରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆଙ୍କ ସମେତ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ମାଁ ସୁନାଦେଇଙ୍କ ଦର୍ଶନ କରିଥିଲେ। ଭକ୍ତି, ପରମ୍ପରା ଓ ଆଦିବାସୀ ସଂସ୍କୃତିର ଅନନ୍ୟ ସମନ୍ୱୟ ଏହି ଯାତ୍ରାକୁ ଆକର୍ଷଣୀୟ କରିଥିବା ବେଳେ ମାଁଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।

0 Comments