ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ
ଖବର ସେୟାର କରନ୍ତୁ

ବଡ଼ବରଡ଼ାକଟାରେ ମା’ ମାହେଶ୍ୱରୀଙ୍କ ସ୍ନାନଯାତ୍ରା ଓ ବାଡ଼ିଯାତ୍ରା ଅନୁଷ୍ଠିତ


ବୀରମହାରାଜପୁର, (କୋଶଳ ପ୍ରହରୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ବଡ଼ବରଡ଼ାକଟା ଗ୍ରାମରେ ରବିବାର ମା’ ମାହେଶ୍ୱରୀଙ୍କ ପାରମ୍ପରିକ ସ୍ନାନଯାତ୍ରା ତଥା ବାଡ଼ିଯାତ୍ରା ଧାର୍ମିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ପାରମ୍ପରିକ ପୂଜାବିଧି ଓ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ପ୍ରାତଃ ସମୟରେ ମା’ ମାହେଶ୍ୱରୀଙ୍କୁ ଗମ୍ଭୀରାରୁ ବାହାର କରାଯାଇ ଖଳା ପୂଜା କରାଯାଇଥିଲା। ଏହାପରେ ମା’ଙ୍କ ଖଣ୍ଡା, ଆଲମ ଓ ଛତ୍ରଛତ୍ରୀକୁ ନେଇ ଏକ ବିରାଟ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ପରେ ଶୋଭାଯାତ୍ରା ନିକଟସ୍ଥ ବାଇଗଣୀ ଯୋରରେ ପହଞ୍ଚିଥିଲା। ସେଠାରେ ପାରମ୍ପରିକ ବିଧି ଅନୁଯାୟୀ ମା’ଙ୍କ ସ୍ନାନ କାର୍ଯ୍ୟ ସମ୍ପନ୍ନ ହେବା ପରେ ମା’ଙ୍କୁ ପୁନର୍ବାର ମନ୍ଦିରକୁ ଫେରାଇ ଅଣାଯାଇଥିଲା। ବିଳମ୍ବିତ ରାତିରେ ଗ୍ରାମଦାଣ୍ଡରେ ପୂଜାର୍ଚ୍ଚନା କରାଯିବା ସହ ଭାଇ ଜିଉଁନ୍ତିଆ ବ୍ରତ ପାଳନ ପାଇଁ ମା’ ଓ ଭଉଣୀମାନଙ୍କ ମଧ୍ୟରେ ଧାର୍ମିକ ଉତ୍ସାହ ଦେଖାଯାଇଥିଲା। ପୂଜାକାର୍ଯ୍ୟରେ ଜଗନ୍ନାଥ ଦେହୁରୀ, ରବି ଦେହୁରୀ, ବଳରାମ ପଣ୍ଡା ଓ ଲିଙ୍କୁ ମିଶ୍ର ସହଯୋଗ କରିଥିବା ବେଳେ ଗୌନ୍ତିଆ ଶିବ ନାରାୟଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ପୂଜାବିଧି ସମ୍ପନ୍ନ ହୋଇଥିଲା। ମା’ ମାହେଶ୍ୱରୀଙ୍କ ସେବାରେ ମଗନ ଦେହୁରୀ, ଡମ୍ବରୁ ବେହେରା, ହରିହର ଗାଈଗରିଆ, ସାନ ଦେହୁରୀ, ପ୍ରଶାନ୍ତ ଦେହୁରୀ, ବିନୋଦ ଗାଈଗରିଆ, ଭାଗିରଥି ଗାଈଗରିଆ, ନେପାଳ କର୍ଣ୍ଣ, ପ୍ରଦୀପ ପାତ୍ର ଓ ପଙ୍କଜ ମହାକୁର ପ୍ରମୁଖ ସହଯୋଗ କରିଥିଲେ। ଗ୍ରାମର ଏହି ପାରମ୍ପରିକ ଯାତ୍ରା ମାଧ୍ୟମରେ ମା’ ମାହେଶ୍ୱରୀଙ୍କ ପ୍ରତି ଭକ୍ତିଭାବ ପ୍ରକାଶ ପାଇବା ସହ ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା।

Post a Comment

0 Comments