ଜୀବନ ଭୟରେ ଦୁଇ ବର୍ଷ ହେଲା ଘରଛାଡ଼ା, ଓଡ଼ିଶା ଓ ଛତିଶଗଡ଼ର ୫ ଦାଦନ ସର୍ଦ୍ଦାର ଗିରଫ

ନୂଆପଡ଼ା, (କୋଶଳ ପ୍ରହରୀ) : ଦାଦନ ଖଟିବାକୁ ଯିବା ପାଇଁ ମନା କରିବାରୁ ଜଣେ ବାପା ଓ ତାଙ୍କ ପୁଅଙ୍କୁ ଜଙ୍ଗଲରେ ଗଛରେ ବାନ୍ଧି ମାଡ଼ ମାରିବା ସହ ପରିବାରକୁ ହତ୍ୟା ଧମକ ଦେବା ଅଭିଯୋଗରେ ଓଡ଼ିଶା ଓ ଛତିଶଗଡ଼ର ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ଦାଦନ ସର୍ଦ୍ଦାର ବୋଲି ଜଣାପଡ଼ିଛି। ସେମାନଙ୍କ ଭୟରେ ପୀଡ଼ିତ ପରିବାର ଦୀର୍ଘ ଦୁଇ ବର୍ଷ ଧରି ଘରଛାଡ଼ି ରାଜ୍ୟ ବାହାରେ ଆଶ୍ରୟ ନେଇଥିବା ଅଭିଯୋଗ ହୋଇଛି। ଏନେଇ ନୂଆପଡ଼ା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଖିଲେଶ୍ୱର ସାହୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ୨୦୨୧ ମସିହାରେ ବରଗଡ଼ ଜିଲ୍ଲାର ଝାରବନ୍ଧ ଥାନା ଅନ୍ତର୍ଗତ ଝାରବନ୍ଧ ଗ୍ରାମର ଲକ୍ଷ୍ମୀଚନ୍ଦ ପଟେଲ ତାଙ୍କ ସ୍ତ୍ରୀ ଉର୍ମିଲାବାଇ ପଟେଲ ଏବଂ ଦୁଇ ପୁଅ ନାଗେଶ୍ୱର ପଟେଲ ଓ ଦିଗେଶ୍ୱର ପଟେଲଙ୍କ ସହ ଦାଦନ ଖଟିବାକୁ ଉତ୍ତରପ୍ରଦେଶ ଯାଇଥିଲେ। ସେଠାରେ ଏକ ଇଟାଭାଟିରେ କାମ କରୁଥିବା ସମୟରେ ୨୦୨୩ ମସିହାରେ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ଦାହସଂସ୍କାର ଓ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ପରିବାର ଲୋକେ ଘରକୁ ଫେରିବା ନିମନ୍ତେ ଇଟାଭାଟି ମାଲିକ ଓ ଦାଦନ ସର୍ଦ୍ଦାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସେମାନଙ୍କୁ ଫେରିବାକୁ ଦିଆଯାଇନଥିବା ଅଭିଯୋଗ ହୋଇଛି। ଏପରିକି ପରିବାରକୁ ବନ୍ଧକ ଭଳି ରଖି ଦିନକୁ ପ୍ରାୟ ୧୫ ଘଣ୍ଟା କାମ କରାଯିବା ସହ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ରହିଛି। ୨୦୨୪ ସେପ୍ଟେମ୍ବର ମାସରେ କିଛି ଦାଦନ ସର୍ଦ୍ଦାର ଲକ୍ଷ୍ମୀଚନ୍ଦ ପଟେଲଙ୍କ ଘରକୁ ଆସି ଟଙ୍କାର ପ୍ରଲୋଭନ ଦେଖାଇ ପୁଣିଥରେ ଦାଦନ ଖଟିବାକୁ ଯିବା ପାଇଁ ପ୍ରବର୍ତ୍ତାଇଥିଲେ। ମାତ୍ର ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ। ଏହାକୁ କେନ୍ଦ୍ର କରି ବେଲଟୁକୁରୀ ଅଞ୍ଚଳର କିଛି ଶ୍ରମିକ ସର୍ଦ୍ଦାର ଓ ସେମାନଙ୍କ ସହଯୋଗୀ ଲକ୍ଷ୍ମୀଚନ୍ଦ ଓ ତାଙ୍କ ପୁଅ ନାଗେଶ୍ୱରଙ୍କୁ ବାଇକ୍ରେ ବସାଇ ନେଇଯାଇଥିବା ଅଭିଯୋଗ ହୋଇଛି। ପରେ ବେଲଟୁକୁରୀ ଥାନା ଅଞ୍ଚଳର ବାରକୋଠି ଜଙ୍ଗଲରେ ବାପା-ପୁଅଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଥିବା ଏବଂ ସମଗ୍ର ପରିବାରକୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ରହିଛି। ଖବର ପାଇ ନାଗେଶ୍ୱରଙ୍କ ଭିଣେଇ ଘଟଣାସ୍ଥଳରେ ପହଞ୍ଚି ବାପା-ପୁଅଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ପରଠାରୁ ଅଭିଯୁକ୍ତମାନଙ୍କ ଭୟରେ ଲକ୍ଷ୍ମୀଚନ୍ଦଙ୍କ ପରିବାର ଘରଛାଡ଼ି ରହୁଥିବା କୁହାଯାଇଛି। ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ପରିବାର ଦୀର୍ଘ ଦୁଇ ବର୍ଷ ହେଲା ରାଜ୍ୟ ବାହାରେ ଆଶ୍ରୟ ନେଇଛି।
ପୁଲିସର ସ୍ୱତନ୍ତ୍ର ଟିମ୍ର ଚଢ଼ଉ, ୫ ଗିରଫ
ଏହି ଘଟଣାକୁ ନେଇ ଦିଗେଶ୍ୱର ପଟେଲ ବେଲଟୁକୁରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। ନୂଆପଡ଼ା ଏସପି ଅମ୍ରିତପାଲ ସିଂହଙ୍କ ତତ୍ତ୍ୱାବଧାନରେ ଏସଡିପିଓ ଖିଲେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଓଡ଼ିଶାର ବେଲଟୁକୁରୀ ଅଞ୍ଚଳରୁ ନୀଳକମଲ ଚନ୍ଦ୍ରକାର ଓରଫ ଗୋଲୁ (୩୮), ମୁଲଚନ୍ଦ ଶବର (୩୫) ଏବଂ ପଣ୍ଡୁ ପାଣିର ସନୋଜ ଲୋହାର (୩୪)ଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ତେନ୍ଦୁକୋନା ଅଞ୍ଚଳର ସନ୍ତୋଷ ଅଗ୍ରୱାଲ (୪୨) ଓ ବସନା ଅଞ୍ଚଳର ଅନୁପ ଅଗ୍ରୱାଲ (୪୭)ଙ୍କୁ ଗିରଫ କରାଯାଇଥିଲା। ଗିରଫ ୫ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।ନୂଆପଡ଼ା ଜିଲ୍ଲାରେ ଦାଦନ ଚାଲାଣ ଓ ଶ୍ରମିକ ନିର୍ଯାତନା ରୋକିବା ପାଇଁ ପୁଲିସ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାରୁ ଦାଦନ ଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦିଗରେ ଆଗକୁ ମଧ୍ୟ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଏସଡିପିଓ ଖିଲେଶ୍ୱର ସାହୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ଘଟଣା ଦାଦନ ଶ୍ରମିକଙ୍କ ସୁରକ୍ଷା, ମାନବିକ ଅଧିକାର ଓ ଶ୍ରମିକ ଶୋଷଣ ରୋକିବା ନେଇ ପୁଣିଥରେ ଗୁରୁତର ପ୍ରଶ୍ନ ଉଠାଇଛି। ଜୀବିକା ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକମାନଙ୍କ ସୁରକ୍ଷା ଏବଂ ନିର୍ଯାତନାର ଶିକାର ପରିବାରଙ୍କୁ ନ୍ୟାୟ ମିଳିବା ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି।
0 Comments