ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ସାନଟେମରା ବିଦ୍ଯାଳୟରେ ଜିଲ୍ଲାପାଳଙ୍କ ତଦନ୍ତ ଭିତ୍ତିଭୂମି ଓ ଖାଦ୍ୟ ବ୍ୟବସ୍ଥାର ଯାଞ୍ଚ


ଝରିଗାଁ (କୋଶଳ ପ୍ରହରୀ) : ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷାର ଆଲୋକ ପହଞ୍ଚାଇବା ସହ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଛାତ୍ରାବାସ ସମେତ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ହେଲେ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସର ଅବ୍ୟବସ୍ଥା ଏବେ ଏହି ବ୍ୟବସ୍ଥା ପ୍ରତି ବଡ଼ ପ୍ରଶ୍ନଚିହ୍ନ ଠିଆ କରିଛି। ଛାତ୍ରାବାସରେ ଭିତ୍ତିଭୂମିର ଅଭାବ, ଛାତରୁ ପାଣି ଗଳିବା, ପାଇଖାନା ସମସ୍ୟା ଓ ଖାଦ୍ୟର ନିମ୍ନମାନକୁ ନେଇ ଅସନ୍ତୋଷ ମଧ୍ୟରେ ଗତ ଗୁରୁବାର ପ୍ରାୟ ୧୪୦ ଜଣ ଛାତ୍ର ହାତରେ ବ୍ୟାଗ୍‌ ଧରି ହଷ୍ଟେଲ ଛାଡ଼ି ଦେଇଥିଲେ। ସକାଳ ପ୍ରାୟ ୯ଟା ସମୟରେ ଶିକ୍ଷକମାନେ ବିଦ୍ୟାଳୟକୁ ପହଞ୍ଚିବା ପୂର୍ବରୁ ଛାତ୍ରମାନେ ପ୍ରାୟ ୧୦ କି.ମି. ରାସ୍ତା ଚାଲିଯାଇଥିବା ଜଣାପଡ଼ିଥିଲା। ଘଟଣା ସାମ୍ନାକୁ ଆସିବା ପରେ ଶୁକ୍ରବାର ଦିନ ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ, ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ପଲକା ରବୀନ୍ଦ୍ର ସାନଟେମରା ବିଦ୍ୟାଳୟରେ ପହଞ୍ଚିଥିଲେ।

ଅଧିକାରୀମାନେ ଛାତ୍ରାବାସରେ ରହୁଥିବା ପିଲାମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ଏହାପରେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ବିଦ୍ୟାଳୟ ପରିସର ବୁଲି ଅର୍ଦ୍ଧନିର୍ମିତ ଶ୍ରେଣୀଗୃହ, ପାଇଖାନା, ରୋଷେଇ ଗୃହ ଏବଂ ଚାଉଳ ରଖାଯାଉଥିବା ଗୃହ ପରିଦର୍ଶନ କରିଥିଲେ। ପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିଲା। ଛାତ୍ରାବାସ ଛାତରୁ ପାଣି ଗଳୁଥିବା ସମସ୍ୟାର ତୁରନ୍ତ ସମାଧାନ ପାଇଁ ଛାତ ଉପରେ ପଲିଥିନ୍‌ ପକାଇବା ଏବଂ ପରବର୍ତ୍ତୀ ସମୟରେ ଛାତ ମରାମତି କରିବାକୁ କୁହାଯାଇଛି। ସେହିପରି ପାଇଖାନା ମରାମତି କାର୍ଯ୍ୟ ଶୀଘ୍ର କରିବା ପାଇଁ ଜିଲାପାଳ ଝରିଗାଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଛାତ୍ରମାନଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ ଏବଂ ଛାତ୍ରମାନେ ହଷ୍ଟେଲ ଛାଡ଼ି ଚାଲିଯିବା ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୋଧରେ ନିୟମାନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏଥିସହ ଛାତ୍ରମାନେ ଛାତ୍ରାବାସ ଛାଡ଼ି ଚାଲିଯିବା ଘଟଣା ପଛରେ ଯେଉଁମାନଙ୍କ ଭୂମିକା ଥିବ, ତଦନ୍ତ ପରେ ସେମାନଙ୍କ ବିରୋଧରେ ମଧ୍ୟ ଦଣ୍ଡାତ୍ମକ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଗୌରୀଶଙ୍କର ମାଝୀ କହିଛନ୍ତି। ସାନଟେମରା ବିଦ୍ୟାଳୟ ପାଇଁ ୨୦୦ ଶଯ୍ୟା ବିଶିଷ୍ଟ ନୂତନ ଛାତ୍ରାବାସ କୋଠା ନିର୍ମାଣ ପାଇଁ ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରସ୍ତାବ ପଠାଯାଇଛି। ଏହାକୁ ଶୀଘ୍ର ଅନୁମୋଦନ କରାଇ ଛାତ୍ରମାନଙ୍କ ପାଇଁ ଉନ୍ନତ ରହଣି ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି। ଘଟଣାକ୍ରମରେ ଆଉ ଏକ ବଡ଼ ପଦକ୍ଷେପ ଭାବେ, ପତ୍ର ସଂଖ୍ୟା ୪୫୨୦, ତା. ୬.୮.୨୬ ଅନୁସାରେ ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାରଣାଙ୍କୁ ନିଲମ୍ବିତ କରିଛନ୍ତି। ତାଙ୍କୁ ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ସୂଚନାଯୋଗ୍ୟ, ଏହି ଘଟଣା ପରେ ଏବେ ସାନଟେମରା ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ପିଲାମାନଙ୍କ ସୁରକ୍ଷିତ ରହଣି, ଉନ୍ନତ ଭିତ୍ତିଭୂମି ଓ ଗୁଣାତ୍ମକ ଖାଦ୍ୟ ବ୍ୟବସ୍ଥା ନେଇ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Post a Comment

0 Comments