MRP ଠାରୁ ଅଧିକ ଟଙ୍କା ଆଦାୟ ଅଭିଯୋଗ, ବିଲ୍ ନାହିଁ କି ନିୟନ୍ତ୍ରଣ ନାହିଁ?
![]() |
| ଫାଇଲ ଫଟୋ |
ନୂଆପଡ଼ା (କୋଶଳ ପ୍ରହରୀ): ମଦ ଦୋକାନରେ ଗ୍ରାହକଙ୍କଠାରୁ ଛପା ମୂଲ୍ୟଠାରୁ ଅଧିକ ଟଙ୍କା ଆଦାୟ ହେଉଥିବା ଅଭିଯୋଗ। ବିଲ୍ ମାଗିଲେ ମିଳୁନାହିଁ। ଅଧିକ ଟଙ୍କା କାହିଁକି ନିଆଯାଉଛି ବୋଲି ପଚାରିଲେ ମିଳୁଛି ଦୁର୍ବ୍ୟବହାର। ଏଭଳି ସ୍ଥିତିରେ ଅବକାରୀ ବିଭାଗର ଭୂମିକା କ’ଣ? ବିଭାଗ କେବଳ ରାଜସ୍ୱ ଆଦାୟରେ ସୀମିତ ନା ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା କରିବା ମଧ୍ୟ ତାହାର ଦାୟିତ୍ୱ? ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଏକ IMFL ଅଫ୍ ଶପ୍ରେ ଏଭଳି ଅଭିଯୋଗ ଆସିଛି। ଘଟଣା ସମୟରେ ନିଜେ ଉପସ୍ଥିତ ରହି ପଚାରିବାରୁ ଛପା ମୂଲ୍ୟଠାରୁ ଅଧିକ ଟଙ୍କା ନେବାର କାରଣ ଭାବେ ମୂଲ୍ୟ ବଢ଼ିଯାଇଥିବା କଥା କର୍ମଚାରୀଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ବିଲ୍ ମାଗିବାରୁ ବିଲ୍ ଦିଆଯାଇନଥିବା ଏବଂ ପ୍ରଶ୍ନ କରିବାରୁ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ରହିଛି। ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ଦୋକାନଗୁଡ଼ିକର ଦୈନିକ କାର୍ଯ୍ୟକଳାପ ଉପରେ ଅବକାରୀ ବିଭାଗର ନଜର ଅଛି କି? ଦୋକାନରେ ନିର୍ଦ୍ଧାରିତ ମୂଲ୍ୟ ତାଲିକା ଯାଞ୍ଚ ହେଉଛି କି? ଗ୍ରାହକଙ୍କୁ ବିଲ୍ ପ୍ରଦାନ କରାଯାଉଛି କି ନାହିଁ, ତାହା କିଏ ଯାଞ୍ଚ କରୁଛି? ଯଦି ଅବକାରୀ ବିଭାଗର ନିୟମିତ ଯାଞ୍ଚ ବ୍ୟବସ୍ଥା ରହିଛି, ତେବେ ଏଭଳି ଅଭିଯୋଗ କାହିଁକି ଉଠୁଛି? ଆଉ ଯଦି ଯାଞ୍ଚ ହେଉନାହିଁ, ତେବେ ଏହାର ଦାୟିତ୍ୱ କିଏ ନେବ? ସାଧାରଣ ଗ୍ରାହକଙ୍କଠାରୁ ଅଧିକ ଟଙ୍କା ଆଦାୟ ଓ ଦୁର୍ବ୍ୟବହାର ଭଳି ଅଭିଯୋଗକୁ ବିଭାଗ ହାଲୁକା ଭାବେ ନେବା ଉଚିତ ନୁହେଁ। ଜିଲ୍ଲା ଅବକାରୀ ଅଧିକାରୀ ନିଜେ ଏହି ମାମଲାରେ ହସ୍ତକ୍ଷେପ କରି କୋମନାର ସମ୍ପୃକ୍ତ IMFL ଅଫ୍ ଶପ୍ରେ ଯାଞ୍ଚ କରିବେ କି? ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ? ଅବକାରୀ ବିଭାଗ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ସହ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେବା ଆବଶ୍ୟକ।

0 Comments