ବଲାଙ୍ଗିର (କୋଶଳ ପ୍ରହରୀ) ଛୋଟ ଜାଗାରୁ ବଡ଼ ସ୍ୱପ୍ନ ଦେଖି ସଫଳତାର ନୂଆ ପରିଚୟ ସୃଷ୍ଟି କରିଛନ୍ତି ବଲାଙ୍ଗିର ଜିଲ୍ଲାର ଯୁବ ଛାତ୍ର ସତ୍ୟବାନ ନାଗ। ସମ୍ବଲପୁର ମହୋତ୍ସବରେ ୧୦୫ ଜଣ ଆଙ୍କରଙ୍କ ସହ ଏକ ମଞ୍ଚରେ ଆଙ୍କରିଂ କରି ସେ IEA Book of World Recordsରେ ସ୍ଥାନ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ବଲାଙ୍ଗିର ଜିଲ୍ଲା ପାଇଁ ଗୌରବ ଆଣିଛି। ସତ୍ୟବାନ ନାଗ ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର School of Chemistryରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଛନ୍ତି। ପାଠପଢ଼ା ସହିତ ସାଂସ୍କୃତିକ ଓ ସୃଜନଶୀଳ କାର୍ଯ୍ୟକଳାପରେ ତାଙ୍କର ରହିଛି ବିଶେଷ ରୁଚି। ନିଜର ଆତ୍ମବିଶ୍ୱାସ, ଦକ୍ଷତା ଓ ମଞ୍ଚ ପରିଚାଳନାର ଆଗ୍ରହ ବଳରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ସମ୍ବଲପୁର ମହୋତ୍ସବରେ ୧୦୫ ଜଣ ଆଙ୍କରଙ୍କ ଏକକାଳୀନ ମଞ୍ଚ ପରିଚାଳନା ଏକ ନିଆରା ଆୟୋଜନ ଥିଲା। ଏହି ଅଭିନବ କାର୍ଯ୍ୟକ୍ରମରେ ସାମିଲ ହୋଇ ସତ୍ୟବାନ ନିଜ ପ୍ରତିଭାର ପରିଚୟ ଦେବା ସହ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି। ତାଙ୍କର ଏହି ସଫଳତା ଅଞ୍ଚଳର ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟକ। ଶିକ୍ଷା ସହିତ ନିଜର ଅନ୍ତର୍ନିହିତ ପ୍ରତିଭା ଓ ଦକ୍ଷତାକୁ ବିକଶିତ କଲେ ଯେକୌଣସି ମଞ୍ଚରେ ସଫଳତା ହାସଲ କରିହେବ, ତାହା ସତ୍ୟବାନଙ୍କ ଉପଲବ୍ଧି ପ୍ରମାଣିତ କରିଛି।

0 Comments