ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ମୁଣ୍ଡ ଉପରେ ଛାତ ନାହିଁ, ଜରିପାଲ ହିଁ ଏବେ ଆଶ୍ରୟ

୧୫ ଦିନ ହେଲା ଭଙ୍ଗା ଘର ପାଖରେ ଅସହାୟ ଇଶ୍ୱର ବାଗଙ୍କ ପରିବାର


ତୁରେକେଲା (କୋଶଳ ପ୍ରହରୀ) : ବର୍ଷା ଆସିଲେ ଅନେକଙ୍କ ପାଇଁ ଶୀତଳ ପବନ ଓ ମାଟିର ସୁଗନ୍ଧର ଅନୁଭବ। ହେଲେ ଦାବ୍ରୀ ଗାଁର ଗଣ୍ଡାପଡ଼ାର ଇଶ୍ୱର ବାଗଙ୍କ ପରିବାର ପାଇଁ ବର୍ଷା ଅର୍ଥ ଆତଙ୍କ। ମୁଣ୍ଡ ଉପରେ ନାହିଁ ଛାତ, ଘରର ଭଙ୍ଗା କାନ୍ଥ ମଧ୍ୟରେ ଜୀବନ ବିତାଇବା ଅସମ୍ଭବ। ଶେଷରେ ଜରିପାଲ ହିଁ ପାଲଟିଛି ସେମାନଙ୍କ ଆଶ୍ରୟ। ତୁରେକେଲା ବ୍ଲକ ହିଆଲ ପଞ୍ଚାୟତ ଅନ୍ତର୍ଗତ ଦାବ୍ରୀ ଗାଁର ଗଣ୍ଡାପଡ଼ାରେ ରହୁଥିବା ଇଶ୍ୱର ବାଗଙ୍କ ମାଟି ଘର ପ୍ରାୟ ୧୫ ଦିନ ତଳେ ଲଗାଣ ବର୍ଷାରେ ଭାଙ୍ଗିପଡ଼ିଥିଲା। ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିବା ପରେ ଘର ଭିତରେ ରହିବା ଆଉ ସମ୍ଭବ ହୋଇନଥିଲା। ଭଙ୍ଗା କାନ୍ଥ ଓ ମାଟିର ଭଗ୍ନାବଶେଷ ମଧ୍ୟରେ ଏବେ ବି ଦୁର୍ଦ୍ଦଶାର ଚିତ୍ର ସ୍ପଷ୍ଟ ଦେଖାଯାଉଛି। ଘର ଭାଙ୍ଗିଯିବା ପରେ ପରିବାର ଲୋକେ ଜରିପାଲ ଟାଣି ତା’ ତଳେ ରହୁଛନ୍ତି। ବର୍ଷା ହେଲେ ଜରିପାଲ ତଳେ ପାଣି ପଶିବା ସହ ଭଙ୍ଗା ଘରର ଅବଶିଷ୍ଟ ଅଂଶ ମଧ୍ୟ ବିପଦ ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ଦିନ ଓ ରାତି କାଟିବା ପରିବାର ପାଇଁ ଚିନ୍ତାର କାରଣ ପାଲଟିଛି। ଇଶ୍ୱର ବାଗ ଜନ୍ମରୁ କଥା କହିପାରୁନଥିବାରୁ ତାଙ୍କ ପତ୍ନୀ ହିଁ ପରିବାରର ଦୁଃଖ ଓ ସମସ୍ୟା ବର୍ଣ୍ଣନା କରିଛନ୍ତି। ଘର ଭାଙ୍ଗିବା ପରେ ପ୍ରଶାସନକୁ ଏନେଇ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘରର ସ୍ଥିତି ଦେଖିବାକୁ କେହି ଆସିନଥିବା ସେ କହିଛନ୍ତି। ପ୍ରଶାସନିକ ସହାୟତାକୁ ଅପେକ୍ଷା କରି କରି ୧୫ ଦିନ ବିତିଗଲାଣି। ହେଲେ ଭଙ୍ଗା ଘର ସେମିତି ପଡ଼ିରହିଛି, ଆଉ ଜରିପାଲ ତଳେ ଚାଲିଛି ପରିବାରର ଜୀବନ। ବର୍ଷା ଆହୁରି ଜାରି ରହିବାର ସମ୍ଭାବନା ଥିବାରୁ ଇଶ୍ୱର ବାଗଙ୍କ ପରିବାରର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ତୁରନ୍ତ ପରିବାରକୁ ଅସ୍ଥାୟୀ ଆଶ୍ରୟ, ଆବଶ୍ୟକ ରିଲିଫ୍‌ ସହାୟତା ଯୋଗାଇଦେବା ସହ ଆବାସ ଯୋଜନାରେ ପକ୍କା ଘର ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଜରିପାଲ ତଳେ ଆଉ କେତେଦିନ?—ଏବେ ଏହି ପ୍ରଶ୍ନର ଉତ୍ତର ଖୋଜୁଛି ଇଶ୍ୱର ବାଗଙ୍କ ପରିବାର।

Post a Comment

0 Comments