ପାଟଣାଗଡ଼ (କୋଶଳ ପ୍ରହରୀ) : ଜୀବନ ରକ୍ଷା ପାଇଁ ରାସ୍ତା ଯେତେ ବାଧକ ହେଉ, କର୍ତ୍ତବ୍ୟରୁ ପଛକୁ ହଟିନାହାନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରିନଥିଲା। ଏଭଳି ସ୍ଥିତିରେ ରୋଗୀଙ୍କୁ ଷ୍ଟ୍ରେଚରରେ ପ୍ରାୟ ୧ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟକୁ ଆଣି ଚିକିତ୍ସାଳୟରେ ପହଞ୍ଚାଇଛନ୍ତି ୧୦୮ କର୍ମଚାରୀ। ସେମାନଙ୍କ ଏହି ମାନବିକତା ଓ କର୍ତ୍ତବ୍ୟନିଷ୍ଠା ଏବେ ପ୍ରଶଂସାର ପାତ୍ର ହୋଇଛି। ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ସୁଲିଆବାହାଲ ଗ୍ରାମର ଗୋପୀନାଥ ତାଣ୍ଡି ପେଟବ୍ୟଥାରେ ପୀଡ଼ିତ ହୋଇଥିଲେ। ତାଙ୍କ ଅବସ୍ଥା ଦେଖି ପରିବାର ପକ୍ଷରୁ ଜରୁରୀକାଳୀନ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ଖବର ପାଇ ଖପ୍ରାଖୋଲର ୧୦୮ ଆମ୍ବୁଲାନ୍ସ ତୁରନ୍ତ ରୋଗୀଙ୍କୁ ଆଣିବା ପାଇଁ ସୁଲିଆବାହାଲ ଗ୍ରାମକୁ ଯାଇଥିଲା। ତେବେ ଗ୍ରାମକୁ ଯିବା ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସ ଆଉ ଆଗକୁ ଯାଇପାରିନଥିଲା। ଏଭଳି ସ୍ଥିତିରେ ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ହିଁ କର୍ମଚାରୀଙ୍କ ପାଇଁ ଏକମାତ୍ର ବିକଳ୍ପ ଥିଲା। ପରିସ୍ଥିତିକୁ ବୁଝି ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ନିବାସ ପଧାନଙ୍କ ତତ୍ତ୍ୱାବଧାନରେ ସହଯୋଗୀ ଯୁଧିଷ୍ଠିର ପୁଟେଲ ଓ ଚାଳକ କରୁଣାକର ମାଝୀ ରୋଗୀଙ୍କୁ ଷ୍ଟ୍ରେଚରରେ ନେଇଥିଲେ। ପରେ ପ୍ରାୟ ୧ କିଲୋମିଟର ଦୂର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୋହି ରୋଗୀଙ୍କୁ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଏହାପରେ ରୋଗୀ ଗୋପୀନାଥ ତାଣ୍ଡିଙ୍କୁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସା ପାଇଁ ହସ୍ତାନ୍ତର କରାଯାଇଥିଲା। ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ପହଞ୍ଚିପାରିନଥିଲେ ମଧ୍ୟ ୧୦୮ କର୍ମଚାରୀମାନେ ନିଜ କର୍ତ୍ତବ୍ୟରୁ ପଛକୁ ହଟିନଥିଲେ। ରୋଗୀଙ୍କ ଜୀବନକୁ ପ୍ରାଥମିକତା ଦେଇ ଦୀର୍ଘ ଏକ କିଲୋମିଟର ଷ୍ଟ୍ରେଚରରେ ବୋହି ଆଣିବା ଘଟଣା ସେମାନଙ୍କ କର୍ତ୍ତବ୍ୟନିଷ୍ଠାର ଏକ ଉଦାହରଣ ସୃଷ୍ଟି କରିଛି। ଏହି ଉଦ୍ୟମ ପାଇଁ ସ୍ଥାନୀୟ ଅଞ୍ଚଳରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପ୍ରଶଂସା କରାଯାଉଛି।

0 Comments