ଖଡ଼ିଆଳ (କୋଶଳ ପ୍ରହରୀ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ଅନୁପ ସିଂହ ଦେଓ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ୧୭ଶ ଅନୁପ ସିଂହ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ସମାରୋହରେ ଖଡ଼ିଆଳ ରାଜା ସାହେବ ଦେବ ଦେବ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ବିଡିଓ ମିଳନ କୁମାର ଝଙ୍କାର, ଖଡ଼ିଆଳ ଏନ୍ଏସି ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ପୂର୍ବତନ ନଗରପାଳ ନିମାଇ ଚରଣ ତାଣ୍ଡି, ୟାସିନ ମହମ୍ମଦ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍ଘାଟନୀ ମ୍ୟାଚ୍ ଯୁରାବନ୍ଧ ଏବଂ ବୋଡ଼େନ ଫୁଟବଲ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମାର୍ଦ୍ଧ ଖେଳରେ ଯୁରାବନ୍ଧ ଦଳ ୧-୦ ଗୋଲ୍ରେ ଆଗୁଆ ରହି ପ୍ରାଧାନ୍ୟ ବିସ୍ତାର କରିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ବୋଡ଼େନ ଦଳ ପରପର ୨ଟି ଗୋଲ୍ ସ୍କୋର କରିଥିଲା। ଶେଷରେ ବୋଡ଼େନ ୨-୧ ଗୋଲ୍ରେ ଯୁରାବନ୍ଧକୁ ପରାସ୍ତ କରି ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ରାଜା ଅନୁପ ସିଂ ଦେଓ ମେମୋରିଆଲ ଟ୍ରଷ୍ଟ ର ଆୟୋଜକ ସଭାପତି ଅଙ୍କିତ ସିଂହ ଦେଓ, ସମ୍ପାଦକ ଜିତେନ୍ଦ୍ର ନାଏକ ଏବଂ ପୁଣ୍ୟତୋଷ ମୁଣ୍ଡ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ମ୍ୟାଚ୍କୁ ଅମୂଲ୍ୟ ବାରିକ ରେଫରୀ ଭାବେ ପରିଚାଳନା କରିଥିବା ବେଳେ ସୌରଭ ପଣ୍ଡା, କ୍ଷୀରୋଦ ଭୋଇ ଓ ନିଲୁ ଭୋଇ ଲାଇନ୍ସମ୍ୟାନ୍ ଦାୟିତ୍ୱ ତୁଲାଇଥିଲେ। ବେଦାନ୍ତ ପ୍ରଧାନ ସ୍କୋରର ଥିବା ବେଳେ ପ୍ରକାଶ ପାତ୍ର, ଧନଞ୍ଜୟ ମଲ୍ଲିକ ଓ ନନ୍ଦ କୁମାର ସାହୁ ମ୍ୟାଚ୍ର ସୀମାହୀନ ଧାରାବିବରଣୀ ପ୍ରଦାନ କରିଥିଲେ। ଏହି ମ୍ୟାଚ୍ଟି 'SD Broadcast' ୟୁଟ୍ୟୁବ୍ ଚ୍ୟାନେଲ୍ରେ ସୀଧାପ୍ରସାରିତ ହୋଇଥିଲା। ଆସନ୍ତାକାଲି (ରବିବାର) ବୋର୍ଡ଼ା ଏବଂ କୋମନା ଦଳ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

0 Comments